Skip to content

ସେହିତ ଆସକ୍ତି ରୂପ

Published:Jan 30, 2021

ଭାବନା କେବଳ ମନରେ ତୋହର,
ରହିଥିବ ହରି ପଦେ,
ସଂସାର ବ୍ୟାପାର ସବୁ ଚାଲୁଥିବ,
ଭାବୁତ ନଥିବୁ କେବେ।

ଦେହ ରହିଥିବ ସଂସାର ଭିତରେ,
କରୁଥିବ କାମ କ୍ରୋଧ,
ମନ ମଜ୍ଜିଥିବ ଶ୍ରୀହରି ପୟରେ,
ନଥିବା ରାଗ କି ଦ୍ଵେଷ।

ପ୍ରାରବ୍ଧର ବଳେ କର୍ମ ଭୋଗ ଛଳେ,
ହେଉଥିବ ଯାହା ଭୋଗ,
ଦେହ ସହୁଥିବ ମନ ତ ନଥିବ,
ଦୁଃଖ ହେଉ ଅବା ସୁଖ।

ସଂସାର ବାସନା ଭୋଗର କାମନା,
ଆସି ଯାଉଥିବ ବଳେ,
ଭାବନା ତୋହର ସ୍ଥିର ରହିଥିବ,
ଏକ ଶ୍ରୀହରି ପୟରେ।

ସଂସାର ବାସନା ମନରେ ଭାବନା,
ସେହିତ ଆସକ୍ତି ରୂପ,
ମନ ‘ଶୂନ୍ୟାନନ୍ଦ’ ହରି ପାଦେ ରଖି,
ଦେଖ ଏ ଜଗତ ଦେଖ।