Skip to content

ରହିଗଲା ମନେ ଦୁଃଖ

Published:Jan 30, 2021

ପଥର ସାଜିଲ ପ୍ରଭୁ ଜଗନ୍ନାଥ,
ଦାରୁବ୍ରହ୍ମ ରୂପ ହୋଇ,
ଦେଉଳେ ତୁମ୍ଭର ପାଦେ ପଡିଥିଲି,
ଅଶ୍ରୁ ଯେ କେତେ ବୁହାଇ।

ପତିତପାବନ ବାନାରେ ତୁମ୍ଭର,
ରଖିଥିଲି କେତେ ଆଶା,
ପ୍ରେମଧନ ନିଧି କିଛିଟା ମିଳିବ,
ତୁଟିବ ହୃଦୟ ବ୍ୟଥା।

ପୂର୍ଣ ନହୋଇଲା ମନ ବାଞ୍ଛା ମୋର,
ଆଶା ମୋର ନ ପୁରିଲା,
ହୃଦୟ ବେଦନା ହୃଦେ ରହିଗଲା,
ଦୁଃଖ ଟି ଅଶେଷ ହେଲା।

ସମୟର ଗତି ରହିଲା ନାହିଁଟି,
ରହିଗଲା ମନେ ଦୁଃଖ,
ସେ ଦୁଃଖ ମୋହର ସାଥି ହେଲା ସିନା,
ନ ମିଳିଲା କିଛି ସୁଖ।

ଜୀବନରେ କିଛି ଆଶା ନରହିଲା,
ନମିଳିଲା ଯେବେ ପ୍ରେମ,
ପ୍ରେମ ଟୋପାଏକୁ ଇଛା କରିଥିଲା,
‘ଶୂନ୍ୟାନନ୍ଦ’ ଦିନ ହୀନ।