ଆଖି ଦୁଇଗୋଟା ମୁଦିଣ ମୁହିଁ ଯେ,
ବସିଅଛି ଯୋଗ ଧ୍ୟାନେ,
ଚିତ୍ତକୁ ସଂସାରୁ ନିବୃତ୍ତ କରାଇ,
ରଖିଛି ଛନ୍ଦା ଚରଣେ।
ମାନଗୋଟା ମୋର ଅମନ ହୋଇଚି,
ଚଳୁନି ଚଞ୍ଚଳ ଆଉ,
ଦେଖିଣ ତ୍ରିଭଙ୍ଗୀ ତାହାର ଯେ ଭଙ୍ଗୀ,
ବାତୁଳ ହୋଇଚି ସେହୁ।
ଆନନ୍ଦସିନ୍ଧୁରେ ମନ ମଜ୍ଜିଅଛି,
ପାଇଛି ଆନନ୍ଦ ରସ,
ନୀଳ ଶ୍ରୀମୁଖକୁ ଚାହିଣ ରହିଛି,
ଦେଖୁ ଅଛି ସ୍ମିତ ହସ।
ଛନ୍ଦ କପଟିଆ ଅତିହିଁ ରଙ୍ଗିଆ,
ମନକୁ ହରିଚି ସିଏ,
ତାକୁ ଥରେ ଦେଖି ମନ ନହାରିବ,
ଏମିତି ଯେ ଅଛି କିଏ।
ମନକୁ ମୋହର ହରି ଯେବେ ନେଲ,
ଜଳାଇଲ ପ୍ରେମ ଦୀପ,
ଆଲିଙ୍ଗନ କରି ଦୀନ ‘ଶୂନ୍ୟାନନ୍ଦ’,
ହରିବକି ମୋର ଦୁଃଖ।