ଏହି ସେ ଧରଣୀ ପୃଥିବୀ ମେଦିନୀ,
ଯାହା ଥିଲା ଆଗ କାଳେ,
ଏହି ସେ ଆକାଶ, ପବନ, ବତାଶ,
ରହିଅଛି ସଦା ବେଳେ।
କେତେ ଥର ଆସି ପୁଣି ତୁ ଗଲୁଣି,
ଏହି ଯେ ମହି ମଣ୍ଡଳେ,
କେତେ ଥର ଆସି ପୁଣି ତୁହି ଯିବୁ,
କର୍ମ ଫଳ ଭୋଗ ବଳେ।
ଯିବା ଆସିବା ଏ ଖେଳ ଯେ ତୋହର,
ଲାଗି ଅଛି କାଳ କାଳ,
ତଥାପି ତୋହର ମୋହ ନ ଭାଙ୍ଗୁଛି,
ଜନ୍ମ ହେଉ ବାରମ୍ବାର।
ନୁହେଁଟି ଜୀବର ଲକ୍ଷ୍ୟ ଏ ମହୀରେ,
ବୁଲିବା ଘରକୁ ଘର,
ମାଟିର ଘଟକୁ ମାଟିରେ ତୁ ଛାଡି,
ଜାଅ ତୁ ଚୈତନ ପୁର।
ଜୀବର ଏ ଗତି ଶରୀରରେ ସ୍ଥିତି,
ନୁହେଁ ତ ମହତ କଥା,
ଚୈତନ ହୋଇଣ ଜଡେ ପଡିଅଛୁ,
‘ଶୂନ୍ୟାନନ୍ଦ’ କାହିଁ ଚେତା ।