ଲୋତକର ଧାରା ବହି ଯେ ଯାଉଛି
ନୟନରୁ ନଦୀ ପରି,
କଣ୍ଠ ଯେ କୋହରେ ଗରଜି ଉଠୁଛି
ମେଘ ନାଦ କଲା ପରି॥
ଚଉ ଦିଗ ମୋତେ ଅନ୍ଧାର ଦିଶୁଚି
ମତି ମୋ ଗଲାଣି ମରି,
ତୁମ୍ଭ ବିରହରେ ହେ ଶ୍ୟାମସୁନ୍ଦର
ପ୍ରାଣ ଯାଏ ସରି ସରି॥
ହୃଦୟ ତୁମ୍ଭର କଠୋର କି ହେଲା
ମୋତେ ଯେ ଗଲ ପାସୋରି,
ପାଗେଳି ପରାୟ କରିଦେଇ ମୋତେ
ଗଲ ତୁମ୍ଭେ ଅପସରି॥
ମୋହର ଏ ଦଶା ଦୁର୍ଦ୍ଦଶା କରାଇ
ଚାଲି ଗଲ କାହିଁ ହରି,
ପାରୁଶେ ତୁମ୍ଭକୁ ନପାଇ ଆଉ ମୁଁ
ହେଉଛି କେତେ ଯେ ଝୁରି॥
ପର କରି ଦେଇ ପ୍ରିୟାକୁ ତୁମ୍ଭର
ଦୁଃଖ ଦେଲ ଅସୁମାରି,
କହେ ‘ଶୂନ୍ୟାନନ୍ଦ’ ହେ ପ୍ରାଣବଲ୍ଲଭ
ଆସିବକି ତୁମ୍ଭେ ଫେରି॥