ଯମୁନାର କୂଳେ କଦମ୍ବର ମୂଳେ
ଦେଖିଲି କାହାକୁ ଆଜ,
ମନ ପ୍ରାଣ ମୋର ସତେ ହଜି ଗଲା
ଲାଗିଲା ସେ ମୋର ନିଜ ॥
ସତେ ଅବା ମୋର ସ୍ଵପ୍ନର ନାୟକ
ହୋଇଗଲା ଆସି ଉଭା,
ପୂର୍ଣ କରିବାକୁ ମୋ ମନ ଅଭିଳାଷା
ଦେଲା ମୋତେ ନିଜ ଦେଖା ॥
ସ୍ଵପ୍ନରୁ ସୁନ୍ଦର ଅତି ମୋନହର
ଦେଖି ତାର ରୂପ ରଙ୍ଗ,
ମନ ମୋର ଥୟ ନଧରି ପାରିଲା
ଲୋଡିଲା ତାହାର ସଙ୍ଗ ॥
ଲୋକ ଲଜ୍ଜା ଭୟ କରି ମୁହିଁ ଦୂର
ଚଳିଲି ତାହାର ପାଶ,
କହିଲା ବେଳକୁ ମନ କଥା ମୋର
ନହେଲା ସେ ଆଉ ଦୃଶ୍ୟ ॥
ସଖୀ ସତେ ମୁହିଁ ପାଗେଳି ହେଲିଣି
ଦେଖୁଛି ଦିବାରେ ସ୍ଵପ୍ନ,
ଦୀନ ‘ଶୂନ୍ୟାନନ୍ଦ’ କହୁଛି ସଖୀଲୋ
ଏହିତ କୃଷ୍ଣର ଢଙ୍ଗ ॥