କେବେ ଆଉ ମନ କରି ତୁହି ଧ୍ୟାନ
ନନ୍ଦନନ୍ଦନଙ୍କ ରୂପ ଅନୁପମ,
ଭାବ ତରଙ୍ଗରେ ଉଛୁଳି ଉଠିବୁ
ପ୍ରେମ ଭରା ହୃଦେ କରିଣ କ୍ରନ୍ଦନ ॥
ଶ୍ୟାମ ଶ୍ୟାମ କହି କୃଷ୍ଣ ନାମ ନେଇ
କେବେ ବା କାଟିବୁ ତୁହି ରାତି ଦିନ,
ନିରସ ହୃଦୟେ ପ୍ରେମ ଦୀପ ଜାଳି
କେବେ ତୁ କରିବୁ ଶ୍ୟାମ ପ୍ରେମ ଆସ୍ଵାଦନ ॥
କେବେ ସୁଧୀ ବୁଦ୍ଧି ହରାଇଣ ତୁହି
ଶ୍ରୀକୃଷ୍ଣ ପ୍ରେମରେ ହୋଇବୁ ତଲ୍ଲିନ,
ଛାଡି ଦେଇ ଭବ ଚିନ୍ତାଧାରା ଯେତେ
କେବେ ତୁ କରିବୁ କୃଷ୍ଣ ଗୁଣଗାନ ॥
କେବା ଅବା ତୁହି କୃଷ୍ଣ ନାମ ଗାଇ
ଆନନ୍ଦ ମନରେ କରିବୁ କୀର୍ତ୍ତନ,
ଖୋଳ କରତାଳ ସଙ୍ଗେ ଘେନି ତୋର
କେବେ ବା ଚଳିବୁ ତୁହି ବୃନ୍ଦାବନ ॥
କେବେ ଗଡୁଥିବୁ ଭୂମିପରେ ତୁହି
ଭୁଲାଇଣ ଦେଇ ଦେହ ବୁଦ୍ଧି ଜ୍ଞାନ,
କୃଷ୍ଣ କୃଷ୍ଣ କହି କେବେ ‘ଶୂନ୍ୟାନନ୍ଦ’
ହରି ସ୍ମରଣରେ ଛାଡିବୁ ତୁ ପ୍ରାଣ ॥