ମାୟାର ଖେଳ ସଂସାର
ସ୍ଵାର୍ଥ ଲାଗି କାରବାର,
ମାୟାରେ ମନକୁ ଲଗାଇ କାହିଁ ମୁଁ
ସ୍ୱରୂପ ଭୁଲିବି ମୋର ॥
ସୁଖ ଦୁଃଖ ସଂସାରର
ସବୁତ ଅଟେ ଅସାର,
ଦୁଃଖସିକ୍ତ ସେହି ସୁଖ ଟିକେ ପାଇଁ
ହେବି କାହିଁ ଶୋକାତୁର ॥
ସମୟର ଖେଳଘର
ଜଗତେ ଜନମ ମୋର,
ଅମୂଲ୍ୟ ନିଧି ଏ ମାନବ ତନୁକୁ
କରିବି କାହିଁ ବେକାର ॥
ଆତ୍ମା ହିଁ ନିଜର ମୋର
ବାକି ସବୁ ମାୟା ଛାର,
ଅନାତ୍ମାରେ ମୁହିଁ ଚିତ୍ତକୁ ଲଗାଇ
ହେବି କାହିଁ ନାରଖାର ॥
ଆତ୍ମାରେ ଆତ୍ମକୁ ଧର
କରି ମନ ଏକାକାର,
ପରମ ଆନନ୍ଦ ନିଧିକୁ ପାଇବୁ
କହେ ‘ଶୂନ୍ୟାନନ୍ଦ’ ଛାର ॥