Skip to content

ମନକୁ ଆୟତ୍ତ କର

Published:Apr 9, 2016

ଦେହକୁ ଆବୋରି ଆତ୍ମା ରହିଥାଏ, ଆତ୍ମାତ ଅଟେ ନିର୍ଗୁଣ।
ଚୈତନ୍ୟ ଆତ୍ମାର ପ୍ରଭାବେ କେବଳ, ଜାତହୁଏ ପଞ୍ଚମନ॥
ଜଡ ଚୈତନ୍ୟର ସଂଯୋଗ ବିଯୋଗ, ପ୍ରକୃତି ପୁରୁଷ ଖେଳ।
ମନ ଯେଣୁ ହୁଏ ପ୍ରକୃତିରୁ ଜାତ, ସହଜେ ମାୟାରେ ଭୋଳ॥
ମନର ପ୍ରକୃତି ସଂସାର ପ୍ରବୃତ୍ତି, କାମନା ବାସନା ଧରେ।
ସହସ୍ର କାମନା ଅଜସ୍ର ବାଞ୍ଛନା, ପଛରେ ଗୋଡାଇ ମରେ॥
ମନର ତ ରୀତି ସଂସାରରେ ପ୍ରୀତି, ମନ ଯେ ମାୟା ଚାକର।
ଚଉଦ ବ୍ରହ୍ମାଣ୍ଡେ ଏ ମନ ବୁଲାଇ, ମାୟାରେ ପକାଏ ଘୋର॥
ମନର ପ୍ରବୃତ୍ତି ଜାଣି ରୀତିନୀତି, ମନକୁ ଆୟତ୍ତ କର।
ଦୀନ ‘ଶୂନ୍ୟାନନ୍ଦ’ ପାଇବୁ ଆନନ୍ଦ, ମନ ହୋଇଗଲେ ସ୍ଥିର॥