ନୁହେଁ କେହି ପର ସଭିଏଁ ନିଜର,
ଆତ୍ମେ ନାହିଁ ପରାପର,
ଆତମ ଭାବରେ ବୁଦ୍ଧିଟି ରହିଲେ,
ବିଭେଦ ହୋଇବ ଦୂର।
ମାୟାର ବିବର୍ତ୍ତ ରଚେଟି ବିଭେଦ,
ମୂଳଟି ରୁହଇ ଏକ,
ମୂଳକୁ ଚିହ୍ନିଲେ ଅମୁଳ ଟଳିବ,
ନଥିବ ଯେ ମାୟା ରୂପ।
ଏକ ହୋଇ ସିନା ଅନେକ ଲାଗଇ,
ଚର୍ମ ଚକ୍ଷୁର ଏ ଖେଳ,
ଜ୍ଞାନ ଚକ୍ଷୁଗୋଟା ଖୋଲି ତୁ ଦେଖିଲେ,
ଦେଖିବୁ ଆତ୍ମା କେବଳ।
ଜ୍ଞାନରେ ସଭିଏଁ ଏକହିଁ ଅଟନ୍ତି,
ମାୟା ବଳେ ସିନା ଭେଦ,
ଜ୍ଞାନକୁ ସାଧିଣ ଅଜ୍ଞାନ ତ୍ୟଜିଲେ,
ନରହିବ ଗୋଳ ଦ୍ଵନ୍ଦ।
ସଭିଏଁ ନିଜର ନୁହେଁ କେହି ପର,
ଆତ୍ମଜ୍ଞାନ ସିଦ୍ଧି ଏହି,
ଜ୍ଞାନରୁ ବିଚ୍ଯୁତ ହେଲେ ‘ଶୂନ୍ୟାନନ୍ଦ’,
ଶାନ୍ତି ତୁ ପାଇବୁ ନାହିଁ।